ଆହେ ମହାବାହୁ ତମ ଇଚ୍ଛା ସଦା ପୂର୍ଣ୍ଣ ହେଉଥାଉ

ଆହେ ମହାବାହୁ ତମ ଇଚ୍ଛା ସଦା ପୂର୍ଣ୍ଣ ହେଉଥାଉ
ଆହେ ମହାବାହୁ ତମ ଇଚ୍ଛା ସଦା ପୂର୍ଣ୍ଣ ହେଉଥାଉ

ଶ୍ରୀ ଜିତେନ୍ଦ୍ର କୁମାର ମହାନ୍ତି
°°°°°°°°°°°°°°°°°°°°°°°
ଯୋଗଜନ୍ମା,ବିଦୁଷି,
ବ୍ରହ୍ମବିଦ୍ୟାବିତା,ଅଗ୍ରଗନ୍ୟା 'ଗାର୍ଗୀ'- ମହାନ ଋଷି ଗର୍ଗଙ୍କର ଏକମାତ୍ର କନ୍ୟାସନ୍ତାନ,ଜଗତର ସର୍ବପ୍ରଥମ ବ୍ରହ୍ମବିଦ୍ୟାବାଦିନୀ,ସର୍ବଗୁଣ ସଂପନ୍ନା, ଆଦର୍ଶମୟୀ,ଜନକ ରାଜ ଦୁହିତା ସୀତାଙ୍କର ମାର୍ଗ ଦର୍ଶିକା- ଜନ୍ମ ନେଇଥିଲେ ଯେତେବେଳେ ଆମ ସମାଜ ପୁରୁଷ ପ୍ରଧାନ ଥିଲା , ନାରୀ କେବଳ ଗୃହକାର୍ଯ୍ୟ ଓ ସନ୍ତାନଜାତ ପାଇଁ ଉଦ୍ଦୀଷ୍ଟା ଥିଲା, ତେଣୁ ବ୍ରହ୍ମବିଦ୍ୟା କେବଳ ପୁରୁଷମାନେ ପାଠ କରିପାରିବେ ଯାହା ନାରୀମାନଙ୍କ ପାଇଁ ନିଷେଧ କରାଯାଇଥଲା।


ବିଦୁଷି ଗାର୍ଗୀ ପିତା ଗର୍ଗଋଷିଙ୍କ ଠାରୁ ବ୍ରହ୍ମବିଦ୍ୟା ଶିକ୍ଷାକରି ନିଜର ଜ୍ଞାନ ବଳରେ ତର୍କ ଆଧାରରେ ପୁରୁଷ ପଣ୍ଡିତ ମାନଙ୍କୁ ଶାସ୍ତ୍ର ସମ୍ବନ୍ଧ ଆଲୋଚନାରେ ପରାସ୍ତ କରି,ଉଭୟ ପୁରୁଷ ତଥା ନାରୀ ଈଶ୍ୱରଙ୍କ ସନ୍ତାନ ଓ ସମସ୍ତଙ୍କର ବ୍ରହ୍ମବିଦ୍ୟା ଅଧ୍ୟୟନ କରିବାର ଅଧିକାର ଓ ସ୍ୱୀକୃତି ହାସଲ କରିପାରିଥିଲେ। ତେଣୁ ଆମେ ଆମର ପ୍ରଥମ ସନ୍ତାନ କନ୍ୟାର ନାମ 'ଗାର୍ଗୀ' ରଖିଅଛୁ। ସେ ଭଲ ପାଠପଢି ଭଲ ମଣିଷଟିଏ ହେଉ ଏହାହିଁ ଈଶ୍ୱରଙ୍କ ପାଖରେ ଆମର ପ୍ରାର୍ଥନା ଓ କାମନା ଥିଲା।


ଭଲ ପାଠ ପଢି ଏମବିଏ କରି କଲେଜରୁ ସିଧାସଳଖ ଏକ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କମ୍ପାନୀରେ ନିଯୁକ୍ତି ତା ପୁଣି ବିଦେଶର ଏକ ଆଧୁନିକ ସହରରେ ଉପସ୍ଥାପିତ ହେବା ଆମ ଆକଳନର ବାହାରେ ଥିଲା, ସବୁ କୃପାମୟ କୃପା ମାତ୍ର। ସେ ଦୟାବନ୍ତ ପୁଣି ଇଚ୍ଛାମୟ।ତାଙ୍କରି ଇଚ୍ଛାହିଁ ସଦା ପୂରଣ ହୋଇଥାଏ,କାରଣ ଅଜ୍ଞାନ ବଶତଃ କ'ଣ ମାଗିବାକୁ ହୁଏ ଆମେ ମାଗି ଜାଣୁନା, ସିଏତ ଜ୍ଞାନଗର୍ଭ, କାହାକୁ କ'ଣ ପୁଣି କେବେ ଦେବାକୁ ହେବ ସେ ଖଞ୍ଜି ଦେଇ ଦେଇଥାଆନ୍ତି। 


ମୋ ଚାକିରୀର ଆରମ୍ଭରେ ଅନେକ ବର୍ଷ ଆମେ ରାଉରକେଲା ରେ ରହୁଥିଲୁ ତେଣୁ ଆମ ଝିଅ 
'ଗାର୍ଗୀ',ରାଉରକେଲାସ୍ଥିତ ଏକ ପ୍ରତିଷ୍ଠିତ ମିସିନାରୀ ଇଂରାଜୀ ବାଳିକା  ଉଚ୍ଚବିଦ୍ୟାଳୟରେ ପ୍ରଥମରୁ ପଢୁଥିବାବେଳେ ଦିନେ ସ୍କୁଲରୁ ଫେରି ଆସି ମନଦୁଃଖରେ ମୋ ପାଖରେ ବସି କହିଲା,
ବାପା ! ଆମ ସ୍କୁଲରେ ଆଜିଠାରୁ ଏକ ନୂଆ ନିୟମ ଘୋଷଣା ହୋଇଛି,ଯାହା ଆସନ୍ତାକାଲି ଠାରୁ ପାଳିତ ହେବ ।କୌଣସି ଛାତ୍ରୀ ତାଙ୍କ ବେକରେ କ୍ରସ ବ୍ୟତୀତ ଅନ୍ୟ କୋୖଣସି ଧର୍ମ ଅବା ସମ୍ପ୍ରଦାୟର ଗୁରୁ ଅବା ଠାକୁରଙ୍କର ଲକେଟ କିମ୍ବା ସେହିଭଳି ସଂକେତ ବେକରେ ପିନ୍ଧି ସ୍କୁଲକୁ ପାଠ ପଢିବାକୁ ଆସିପାରିବେ ନାହିଁ କିନ୍ତୁ କ୍ରସ ପିନ୍ଧିବା ଇଚ୍ଛାଧୀନ,କୌଣସି ବାଧ୍ୟବାଧ୍ୟକତା ନାହିଁ।ମୋ ଝିଅକୁ ପିଲାଦିନୁ ତା ବେକରେ କଳା ମୋଟା ସୂତାରେ ଶ୍ରୀଜଗନ୍ନାଥଙ୍କର  କଳା ଶ୍ରୀମୁଖର ଗୋଟିଏ ସାଧାରଣ ଲକେଟ ସହ ସିରିକପଡାରେ ପ୍ରାପ୍ତ  ବ୍ରହ୍ମଚନ୍ଦନର ଗୋଟିଏ ଛୋଟପୁଡ଼ିଆ ବାନ୍ଧି ଆମେ ପିନ୍ଧାଇଥାଉ ଯାହାକୁ ସେ ପିନ୍ଧି ଖୁସିଥିଲା। ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶ ଶୁଣି ସେ ଡରିଯାଇ ଦୁଃଖୀ ହୋଇଯାଇଥିଲା କାରଣ ତା ବେକରୁ ସେ ସବୁକୁ ବାହାରକରି ଘରେ ରଖାଯିବ। ସେ ଶ୍ରୀଜଗନ୍ନାଥଙ୍କୁ ବହୁତ ଭକ୍ତି କରୁଥିଲା ଓ ଭଲ ବି ପାଉଥିଲା। ସବୁଶୁଣି ଝିଅକୁ ଭରସା ଦେଇ କହିଲି,ଶିକ୍ଷାନୁଷ୍ଠାନ ନିୟମକୁ ସମ୍ମାନ ଦେବା ଓ ମାନିବା ଉଚିତ ଓ ଆମେ  ସେଥି ପାଇଁ ବାଧ୍ୟ ବି । ତୁ ଲକେଟ ଓ ବ୍ରହ୍ମଚନ୍ଦନ ଯେପରି ପିନ୍ଧିଛୁ ସେପରି ପିନ୍ଧି ସ୍କୁଲକୁ ପଢିବାକୁ ଯାଆ । ଶିକ୍ଷୟତ୍ରୀ କିମ୍ବା ସ୍କୁଲର କୌଣସି କର୍ମକର୍ତ୍ତା ବାରଣ ସତ୍ତ୍ୱେ ତୁ ଲକେଟ ପିନ୍ଧି ସ୍କୁଲକୁ ଆସିଥିବାରୁ କୌଣସି ଆପତ୍ତି କିମ୍ବା ତାଗିଦ କଲେ କହିବୁ,ଆମେ ସ୍କୁଲର ନିୟମକୁ ସମ୍ମାନର ସହ ମାନିବୁ, ମୋ ବାପା ଆସନ୍ତାକାଲି ଆପଣଙ୍କ ସଂଗେ ସ୍କୁଲରେ ଦେଖାକରିବେ ବୋଲି କହିଛନ୍ତି ଓ ଆପଣଙ୍କର ଅନୁମତି ମାଗିଛନ୍ତି। ସେ ଯାହା କହିବେ ତୁ ଆସି ମୋତେ କହିବୁ,ମୁଁ ତାଙ୍କୁ ଦେଖାକରି କଥାହେବି ଓ ତା ପରେ ନିଷ୍ପତ୍ତି ନେବି। ସେତେବେଳେ ମୋ ଝିଅ ପଞ୍ଚମ ଶ୍ରେଣୀର ଛାତ୍ରୀ। ସ୍କୁଲର ନିୟମ ଶୁଣିବାପରେ ଆମେ ତା ବେକରେ ଥିବା ସୂତା, ଲକେଟ ଓ ପୁଡ଼ିଆରେ କୌଣସି ପରିବର୍ତ୍ତନ କରିନଥିଲୁ। ଖାଲି ଆମଘରେ ପୂଜା କରୁଥିବାବେଳେ ଚତୁର୍ଦ୍ଧାମୂର୍ତ୍ତୀ ଆଗରେ କହିଥିଲି,
ସାଆନ୍ତେ ! ପଣ୍ଡିତ ସଦାଶିବ ରଥଶର୍ମା ଦେଇଥିବା ସିରିକପଡା, ବ୍ରହ୍ମଚନ୍ଦନ ସହ ତମ କଳା ଶ୍ରୀମୁଖ ଥିବା ଲକେଟ ଆମେ ଝିଅ ବେକରେ ରଖିଛୁ ଏଇ ବିଶ୍ୱାସରେ ତମ ଜିନିଷରେ ତମେ ତା ସାଥିରେ ଅଛ ବୋଲି ଆମର ବିଶ୍ୱାସ ଆଉ ତମେ ତା ପାଖରେ ଥିଲେ ତା'ର କେବେବି କିଛି ଅସୁବିଧା ହେବନାହିଁ,ଏବେ ତମ ଇଚ୍ଛା ପୂରଣ ହେଉ। ଆମେ ତମ ଇଚ୍ଛାକୁ ସମ୍ମାନ ଦେବୁ ଆଉ ସ୍କୁଲର ନିୟମକୁ ସାଦରେ ଗ୍ରହଣ କରିବୁ।

ଏକ ବ୍ୟତିକ୍ରମ....ଏକ ବଡ଼ ବ୍ୟତିକ୍ରମ..... ଅନୁଭୂତି ଇଏ ଆମର.... ସତ୍ୟ....ସତ୍ୟ...ସତ୍ୟ।


ସେ ସେମିତି ଲକେଟ ଓ ପୁଡ଼ିଆ ବେକରେ ପିନ୍ଧି ସ୍କୁଲକୁ ନିୟମିତ ଯାଉଥିଲା,ସେହି ସ୍କୁଲରେ ସେ ଦଶମ ଶ୍ରେଣୀପର୍ଯ୍ୟନ୍ତ ପଢି ବୋର୍ଡ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାସକରି ଅନ୍ୟ କଲେଜରେ ପଢିବାକୁ ଗଲା କିନ୍ତୁ କୌଣସି ଦିନ ତାକୁ କେବେ କେହି ତାଗିଦ କିମ୍ବା ଅଭିଯୋଗ କରିନଥିଲେ..........କାରଣ ଆମକୁ ଏବେବି ଅଜଣା।


ରାଉରକେଲାରୁ ଡିଗ୍ରୀ କରିବାପରି ଭୁବନେଶ୍ୱରସ୍ଥିତ ଉତ୍କଳ ବିଶ୍ଵବିଦ୍ୟାଳୟ ଓ ତାପରେ ମହାରାଷ୍ଟ୍ରର ପୁନେ ସହରରେ ଏମବିଏ ଡିଗ୍ରୀ ହାସଲକରି ସେ  ଚାକିରୀ ପାଇ ଦୁବାଇ ଯିବା ଯାଏ ତା ବେକର କଳା ସୂତାରେ ଲକେଟ ଓ ବ୍ରହ୍ମଚନ୍ଦନର ପୁଡ଼ିଆ ରହିଥିଲା।


ହେ ଇଚ୍ଛାମୟ ତୁମ ଇଛା ସଦା ସଦା ପୂର୍ଣ୍ଣହୁଏ ,ପୂର୍ଣ୍ଣ ହେଉଥାଉ ।


°°°°°°°°°°°°°°°°°°°°°°°