ପ୍ରଶ୍ନ ଏକ ଉତ୍ତର ଅଲଗା - ତା ହିଁ ଜୀବନ

ପ୍ରଶ୍ନ ଏକ ଉତ୍ତର ଅଲଗା - ତା ହିଁ ଜୀବନ

ପ୍ରଶ୍ନ ଏକ, ଉତ୍ତର ଅଲଗା - ତାହା ହିଁ ଜୀବନ l 

                                              ଶ୍ରୀସନ୍ନ୍ୟାସୀ ଜୀ 

"""""""""""""""""""""''''"""""""""""""""""""""""""""""""""""""""""

କିଏ କେତେ କାଳ ବଂଚିବ ମରିବ ସେତ ନୁହେଁ ବଡ଼ କଥା l ଧର୍ମ କର୍ମ ଯଦି କିଛି କଲ ନାହିଁ ତେଵେ ବଂଚିବା ଟା ବୃଥା - 

         ଜଣେ ବୟସ୍କ ପିତୃ ପ୍ରତିମ ପାଲାକାର ସେଦିନ ସନ୍ନ୍ୟାସୀ କୁ କହୁଥିଲେ ଏ କଥା l ଅର୍ଜିତ ଧନ କୁ ନ ଖାଇ ନ ପିଇ ସଞ୍ଚି ବୁଢ଼ା ମାଙ୍କଡ଼ ପରି ସତୁରି, ଅଶି ଵା ନବେ ବର୍ଷ ବଂଚିବାରେ କି ଲାଭ? ମଲା ପରେ ଧନକୁ କଣ ବୋହି କିନା ନେବ? ଜୀବନ ର ଏଇ ସୁକ୍ଷ୍ମ ତତ୍ତ୍ୱ ଗୁଡିକୁ କିଏ ବୁଝେ କହିଲେ? ଅନ୍ୟମାନେ ଯାହା ବୁଝି କାମରେ ଲଗlନ୍ତେ ଯେ କିନ୍ତୁ ଏ କଥା ଗୁଡିକ ଗଳା ଫଟାଇ କହୁଥିବା ଲୋକଗୁଡିକ ଯେତେବେଳେ ନିଜେ ଏହାର ଓଲଟା କାର୍ଯ୍ୟ କରିବସନ୍ତି ସେତେବେଳେ ଅନ୍ୟ ମାନଙ୍କର ବିଶ୍ୱାସ ଭାଙ୍ଗି ଯାଏ l ଏ ସଂସାର ମାୟା, ମିଛ ଏବଂ ପ୍ରହାଳିକାମୟ ବୋଲି ଯିଏ କହୁଥାଏ ସେ ହିଁ ରାତି ପାହିଲେ କାହା ହିଡ଼ କୁ ହାଣି ପାଖ ବିଲ ଆଡକୁ ଚାଖଣ୍ଡେ ମାଡି ଯାଇ ଏତକ 'ମୋ ଜାଗା ' ବୋଲି କହି ପଡୋଶୀ କୁ ହଇରାଣ ରେ ପକାଏ l ଗେରୁଆ ଵା ଧଳା ପିନ୍ଧି ନିଜକୁ ଧାର୍ମିକ ଦେଖାଇ ହେଉଥିବେ, ତେଣେ ପର ଝିଅ ବୋହୂ ଙ୍କୁ କଣେଇ କଣେଇ ଚାହୁଁ ଥିବେ l ଯେଉଁମାନେ ଧର୍ମ, ଆଧ୍ୟାତ୍ମିକତା କଣ ଜାଣନ୍ତି ନାହିଁ ସେମାନେ ଯଦି କିଛି ଅନ୍ୟାୟ, ଅନୀତି ଓ ଅଧର୍ମ କାମ କରନ୍ତି ତେଵେ ସେଥିରେ ବିସ୍ମିତ ହେବାର କିଛି ନାହିଁ l କିନ୍ତୁ ଜଣେ ଚିତା ଚୈତନ କାଟି, ଦାଢ଼ି ଜଟ ରଖି ଯଦି କୁକର୍ମ କଲା ତେଵେ ସମାଜ ପାଇଁ ସେଇମାନେ ହିଁ ହେଉଛନ୍ତି ମାରାତ୍ମକ 

ଓମିକ୍ରନ l 

       ଧର୍ମ କୁ ଉତ୍ତମ ଭାବେ ବୁଝିଥିବା ଲୋକ କେବେ ବି ନିଜ ପ୍ରାଚୀର କୁ ବଳ ପୂର୍ବକ ପଡୋଶୀ ଜାଗା ଆଡକୁ ମଡ଼େଇ କରିବ ନାହିଁ l ଧନ ଵା ଦ୍ରବ୍ୟ ରେ ସେ କାହାକୁ ଠକିବ ନାହିଁ l ସମସ୍ତ ଙ୍କୁ ମଧୁର କଥା କହିବ l ନିଜର ସମୟ କୁ ଧର୍ମ କର୍ମ ରେ ଲଗାଇବ l କାରଣ ସେ ଭଲ ଭାବେ ଜାଣିଛି ଜୀବନ ର ଅନ୍ତିମ ପରିଣତି କଣ l 

       ସେଦିନ ପ୍ରବଚନ ରେ ସନ୍ଥ ଜଣକ ଯେଉଁ ଗପ ଟି କହୁଥିଲେ ତାହା ଠିକ ଏହିଭଳି l ଜଣେ ଧାର୍ମିକ ସେଠ ଥିଲେ l ସେ ସାଧୁ ସନ୍ଥ ଙ୍କୁ ଭଲ ପାଉଥିଲେ l ଗାଁ କୁ କୋଉ ବାବାଜୀ ବୈଷ୍ଣବ ଆସିଲେ ସେ ନିଜ ଘର କୁ ପାଛୋଟି ଆଣି ତାଙ୍କର ସେବା ଶୁଶ୍ରୁଷା କରୁଥିଲେ l ଦିନେ ତାଙ୍କ ଗାଁ କୁ ଜଣେ ସାଧୁ ପ୍ରବଚନ ଦେବାକୁ ଆସିଥିଲେ l ଏ ସେଠ ଜଣକ ଉକ୍ତ ସାଧୁ ଙ୍କୁ ନିଜ ଘରେ ରାତ୍ରି ଭୋଜନ ରେ ଆପ୍ୟାୟିତ କରିବା ନିମନ୍ତେ ଘରକୁ ଡାକି ଆଣିଲେ l ସବୁ ପ୍ରକାର ବ୍ୟବସ୍ଥା କରି କୌଣସି ଜରୁରୀ କାର୍ଯ୍ୟ ରେ ସେ ନିକଟସ୍ଥ ବଜାର କୁ ଚାଲିଗଲେ l 

     ଏଣେ ସାଧୁ ଭୋଜନ କରୁଥିବା ବେଳେ ସେଠ ଙ୍କ ଧର୍ମପତ୍ନୀ ସେଠାଣୀ ଙ୍କୁ ଏମିତି ଗପସପ କରିବା ଭିତରେ ପଚାରିଲେ - ଆପଣଙ୍କ ସନ୍ତାନ ସନ୍ତତି କେତେ? ଆପଣଙ୍କ କୃପାରୁ ଆମର ଚାରି ପୁତ୍ର ଆଜ୍ଞା - ମୁଣ୍ଡରେ ଓଢଣୀ ଟାଣି ସେଠାଣୀ ଉତ୍ତର ଦେଲେ l 

ସାଧୁ ପୁଣି ପଚାରିଲେ - ଆପଣଙ୍କ ଧନରତ୍ନ ସବୁ କେତେ? ସ୍ମିତ ହାସ୍ୟ ପ୍ରକାଶ କରି ସେଠାଣୀ କହିଲେ ପ୍ରଭୁ ଙ୍କ କୃପାରୁ ଅଂଚଳ ଲୋକେ ଆମକୁ କୋଟିପତି ବୋଲି କୁହନ୍ତି l 

      କାମ ସାରି ସେଠ ଘରେ ଆସି ପହଁଚିଲେ l ସେତେବେଳ କୁ ସାଧୁ ଙ୍କ ଭୋଜନ ବି ଶେଷ ହୋଇ ଯାଇଥାଏ l ସାଧୁ ଙ୍କ ରହିବାର ବ୍ୟବସ୍ଥା ନିକଟସ୍ଥ ଏକ ମନ୍ଦିର ରେ କରାଯାଇଥିବାରୁ ସେଠ ସାଧୁ ଙ୍କ ସହ ମନ୍ଦିର ପର୍ଯ୍ୟନ୍ତ ଯାଉଥିବା ବେଳେ କାହିଁକି କେଜାଣି ସେଠାଣୀ ଙ୍କୁ ପଚାରିଥିବା ପ୍ରଶ୍ନ ଗୁଡିକୁ ପୁଣି ଦୋହରାଇ ସେଠ ଙ୍କୁ ପଚାରିଲେ - ଆପଣଙ୍କ ପୁଅ ଝିଅ କେତେ? 

      ମୋର ତ ଝିଅ ନାହାନ୍ତି l କେବଳ ଗୋଟିଏ ମାତ୍ର ପୁଅ ଅଛି - ସେଠ ଉତ୍ତର ଦେଲେ l 

  ସାଧୁ ଚକିତ ହୋଇଗଲେ l ସେଠାଣୀ ତ କହୁଥିଲେ ' ଚାରି ' ବୋଲି କିନ୍ତୁ ସେଠ କହୁଛନ୍ତି ' ଏକ ' ! ଏ ଦୁଇ ଜଣ ଙ୍କ ମଧ୍ୟରୁ କିଏ ସତ କହୁଛନ୍ତି? 

         ସନ୍ଥ ପୁଣି ଦ୍ଵିତୀୟ ପ୍ରଶ୍ନ ପଚାରିଲେ - ଆପଣଙ୍କ ପାଖରେ ଧନରତ୍ନ କେତେ ଅଛି? ସେଠ ଉତ୍ତର ଦେଲେ - ମାତ୍ର ପଚିଶି ହଜାର ଟଙ୍କା l

     ସାଧୁ ଆହୁରି ବିସ୍ମିତ ହେଲେ l ସେଠ ଙ୍କୁ କୋଟିପତି ବୋଲି ସମସ୍ତେ ଜାଣନ୍ତି l କିନ୍ତୁ ସେ ତାଙ୍କର ପୁଞ୍ଜି ପଚିଶି ହଜାର ବୋଲି କହୁଛନ୍ତି କେମିତି !!

    କାଳେ ସେଠ କିଛି ଲୁଚାଉ ଥିବେ - ଏଇୟା ଭାବି ସାଧୁ ଏବେ ତୃତୀୟ ପ୍ରଶ୍ନ ପଚାରିଲେ l ଆପଣଙ୍କ ଆୟୁ କେତେ? ସେଠ କହିଲେ ' ମାତ୍ର ଚାଳିଶି ବର୍ଷ ' l 

       ସେଠ ଙ୍କ ଚୁଟି ସବୁ ଧଳା ହୋଇଗଲାଣି l ଚର୍ମ ଲୋଚାକୋଚା l ଏସବୁକୁ ଦେଖିଲେ ଯେ କେହିବି ତାଙ୍କର ବୟସ ସତୁରି କି ପଚସ୍ତରି ବୋଲି କହିବ l କିନ୍ତୁ ଇୟେ କହୁଛନ୍ତି କଣ ନା ଚାଳିଶି l ସାଧୁ ଏଥର ଆଉ ସମ୍ଭାଳି ପାରିଲେ ନାହିଁ l ଏପରି ଉତ୍ତର ର ରହସ୍ୟ ବାବଦରେ ସେ ସେଠ ଙ୍କୁ ସିଧା ପଚାରି ବସିଲେ l 

    ସହଜ ସୁଲଭ ଢଙ୍ଗରେ ସେଠ କହିଲେ, ଆପଣଙ୍କ ପ୍ରଥମ ପ୍ରଶ୍ନ ଥିଲା ମୋ ପୁଅ ଝିଅ ବାବଦରେ l ବାସ୍ତବରେ ମୋର ଚାରିପୁଅ l ଏମାନଙ୍କ ମଧ୍ୟ ରୁ କେବଳ ଜଣେ ହିଁ ଧାର୍ମିକ ଆଉ ଆଜ୍ଞାକାରୀ l ସେଇ ହିସାବରେ କହିଲି ଯେ ପ୍ରକୃତ ରେ ମୋର ଗୋଟିଏ ପୁତ୍ର l 

 ଆପଣଙ୍କ ଦ୍ଵିତୀୟ ପ୍ରଶ୍ନ ଥିଲା ଧନ କୁ ନେଇ l ମୋ ପାଖରେ ଯଦିଓ ଲକ୍ଷ ଲକ୍ଷ ଟଙ୍କା ର ସମ୍ପତ୍ତି ବାଡ଼ି ଅଛି କିନ୍ତୁ ମୁଁ ମଲା ପରେ ଏହା ମୋ ପୁଅ ନାତି ମାନଙ୍କ ପାଖକୁ ପଳେଇବ l ଏଥିରେ ମୋର ଲାଭ କଣ? ଆଜି ପର୍ଯ୍ୟନ୍ତ ପର ଉପକାରରେ ଵା ଧର୍ମ କାର୍ଯ୍ୟ ରେ ମୁଁ ମାତ୍ର ପଚିଶି ହଜାର ଟଙ୍କା ଖର୍ଚ୍ଚ କରିଛି l ଏହି ପଇସାର ପୂଣ୍ୟ ହିଁ ମଲା ପରେ ମୋ ସହିତ ଯିବ l ତାହା ହିଁ ମୋର ପ୍ରକୃତ ଧନ l ସାଧୁ ସେଠ ଙ୍କୁ ମନେ ମନେ ତାରିଫ କରୁଥିଲା ବେଳେ ସେଠ ନିଜ ତୃତୀୟ ଉତ୍ତର ର ସ୍ପଷ୍ଟୀକରଣ ଦେଇ କହିଲେ ଯେ ମୋର ବୟସ ହେଉଛି ପ୍ରକୃତ ରେ ଅଶୀ l କିନ୍ତୁ ମୁଁ ଚାଳିଶି କହିଲି ଏଇଥି ପାଇଁ ଯେ ଆଜକୁ ଚାଳିଶି ବର୍ଷ ତଳେ ମୁଁ ଜଣେ ଗୁରୁ ଙ୍କ ଠାରୁ ଦୀକ୍ଷା ଗ୍ରହଣ କରି ଏକ ଆଧ୍ୟାତ୍ମିକମୟ ଜୀବନ ଯାପନ କରୁଛି l ପ୍ରଥମ ଚାଳିଶି ବର୍ଷ ବେକାର ରେ ବିତି ଯାଇଥିବାରୁ ପର ଚାଳିଶି ବର୍ଷ ହିଁ ମୋର ପ୍ରକୃତ ଆୟୁ ବୋଲି ମୁଁ ମନେ କରେ l 

       ପାଠକେ ! ସେଠ ଙ୍କ ମତିଗତି ହିଁ ପ୍ରମାଣ କରେ ଯେ ସେ ପ୍ରକୃତ ରେ ଜଣେ ଧାର୍ମିକ ବ୍ୟକ୍ତି l ପ୍ରତ୍ୟେକ ଧାର୍ମିକ ବ୍ୟକ୍ତି ର ଏପରି ମାନସିକତା ରହିବା ନିତାନ୍ତ ଜରୁରୀ l ଭିତରଟାକୁ ଠିକ ନ କରି କେବଳ ଅନ୍ୟ କୁ ଦେଖାଇ ହେବାକୁ ଯାଇ ଦେହ ସାରା ଅଢେଇଶ ଗ୍ରାମ ର ତିଳକ ବୋଳି, ଚୁଟିରେ ବର କ୍ଷୀର ବୋଳି ଜଟା ତିଆରି କରି ଗେରୁଆ ପିନ୍ଧି ବୁଲିଲେ ଲୋକେ ତ ହସିବେ ବରଂ ଦରକାର ପଡିଲେ ହାତ ଉଠାଇବାକୁ ବି ପଛଘୁଞ୍ଚା ହେବେନି l

                  ଦିବ୍ୟାଲୋକ ସଂଧାନେ, ରାମନଗର, ତେଲେଙ୍ଗାପେଣ୍ଠ, କଟକ, ମୋ -9437292699

##########################